ଚାମ୍ପିଅନ୍ସ ଟ୍ରଫି ପୁରସ୍କାର ରାଶି; କିଏ ଦେବ, ICC ନା ପାକିସ୍ତାନ ?

Published By : Prameya-News7 Bureau | March 10, 2025 IST

ନୂଆଦିଲ୍ଲୀ ୧୦।୦୩ : ଦୁବାଇରେ ଉଡିଲା ତ୍ରିରଙ୍ଗା । ଭାରତ ଜିତିଲା ୨୦୨୫ ଆଇସିସି ଚାମ୍ପିଅନ୍ସ ଟ୍ରଫି । ଫାଇନାଲ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡକୁ ୪ ୱିକେଟ୍‌ରେ ହରାଇଲା ଟିମ ଇଣ୍ଡିଆ । ୧୨ ବର୍ଷ ପରେ ହାତେଇଛି ଚାମ୍ପିଅନ୍ସ ଟ୍ରଫି । ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ହୋଇଛନ୍ତି ରୋହିତ ଶର୍ମା । ହିଟ୍‌ମ୍ୟାନ୍‌ ସର୍ବାଧିକ ୭୬ ରନ୍‌ କରିଥିଲେ । ତାଙ୍କ ବ୍ୟତୀତ ଶ୍ରେୟସ ଆୟର ୪୮ ରନ ଏବଂ କେଏଲ ରାହୁଲ ଖେଳିଥିଲେ ଅପରାଜିତ ୩୪ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ । 

ଏହାସହିତ ଭାରତ ବିଶ୍ୱରେ ସର୍ବାଧିକ ଥର ଚାମ୍ପିଅନ୍ସ ଟ୍ରଫି ଜିତିଥିବା ଦେଶ ହୋଇଛି । ଚାମ୍ପିଅନ୍ସ ଟ୍ରଫି ଜିତିବା ପରେ ଟିମ୍‌ ଇଣ୍ଡିଆ ଉପରେ ହୋଇଛି ଟଙ୍କା ବର୍ଷା । ଭାରତୀୟ ଦଳକୁ ICC ଦେଇଛି ପ୍ରାୟ ୨୦ କୋଟିର ପୁରସ୍କାର ରାଶି । ଏହାବ୍ୟତୀତ ଉପବିଜେତା ନ୍ୟୁଜିଲାଣ୍ଡକୁ ମିଳିଛି ୧.୧୨ ମିଲିୟନ ଡଲାର ଅର୍ଥାତ୍ ପ୍ରାୟ ୯.୭୨ କୋଟି ଟଙ୍କା । ଏବେ ପ୍ରଶ୍ନ ଆସୁଛି ଚାମ୍ପିଅନ୍ସ ଟ୍ରଫି ଜିତିଥିବା ଟିମ୍‌ ଇଣ୍ଡିଆକୁ କିଏ ଦେବ ଏହି ପୁରସ୍କାର ରାଶି ?

ବାସ୍ତବରେ ଏଥର ଚାମ୍ପିଅନ୍ସ ଟ୍ରଫିର ଆୟୋଜକ ରହିଥିଲା ପାକିସ୍ତାନ । ୧୯୯୬ ପରେ ଏହା ପ୍ରଥମ ଥର ଯେବେ ପାକିସ୍ତାନକୁ ICC ଇଭେଣ୍ଟ ଆୟୋଜନ କରିବାର ଦାୟିତ୍ୱ ମିଳିଥିଲା। ତଥାପି ଟୁର୍ଣ୍ଣାମେଣ୍ଟର ପ୍ରାରମ୍ଭରେ ପାକିସ୍ତାନ ପଡ଼ିଥିଲା ବାଦ୍ । 

ଆଇସିସି ନିୟମ ଅନୁଯାୟୀ, ଯେଉଁ ଦେଶକୁ ଟୁର୍ଣ୍ଣାମେଣ୍ଟର ଦାୟିତ୍ୱ ଦିଆଯାଏ, ସେହି ଦେଶ ସେଠାରେ ଅନୁଷ୍ଠିତ ମ୍ୟାଚ୍‌ର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରେ । ଏହାବ୍ୟତୀତ ଆୟୋଜକ ଦେଶ ଖେଳାଳିଙ୍କ ସୁରକ୍ଷା, ପରିବହନ ଏବଂ ରହିବାର ବ୍ୟବସ୍ଥା ମଧ୍ୟ କରିଥାଏ। ତେବେ ପୁରସ୍କାର ରାଶି ଆୟୋଜକ ଦେଶର ଦାୟିତ୍ୱ ହୋଇ ନଥାଏ । 

କୌଣସି ବି ଟୁର୍ଣ୍ଣାମେଣ୍ଟରେ ପୁରସ୍କାର ରାଶି ICC ଦ୍ୱାରା ଘୋଷଣା କରାଯାଏ । ଟୁର୍ଣ୍ଣାମେଣ୍ଟ ଆରମ୍ଭରେ ICC ଚାମ୍ପିଅନ୍ସ ଟ୍ରଫି ପାଇଁ ମୋଟ 6.9 ମିଲିୟନ ଡଲାର ଅର୍ଥାତ୍ ୫୯ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା। ଏହା ୨୦୧୭ରେ ଖେଳାଯାଇଥିବା ମ୍ୟାଚ୍ ଅପେକ୍ଷା ୫୩ ପ୍ରତିଶତ ଅଧିକ । 

ଏଥିରେ ଟିମ୍‌ ଇଣ୍ଡିଆକୁ ପ୍ରାୟ ୨୦ କୋଟି ଟଙ୍କା ଦିଆଯିବ । ଯେତେବେଳେ କି ଉପବିଜେତା ନ୍ୟୁଜିଲ୍ୟାଣ୍ଡକୁ ୯.୭୨ କୋଟି ଟଙ୍କା ଦିଆଯିବ। ସେମିଫାଇନାଲରେ ପରାଜିତ ଟିମ୍‌ ଗୁଡ଼ିକୁ ୪.୮୫ କୋଟି ଟଙ୍କାର ପୁରସ୍କାର ରାଶି ମିଳିବ । ଏହି ପୁରସ୍କାର ରାଶି ବିଜୟୀ ଟିମ୍‌କୁ ICC ଦ୍ୱାରା ପ୍ରଦାନ କରାଯିବ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.